ଅସମାହିତ ପ୍ରଶ୍ନ
ରକ୍ତର ପ୍ରତିଟି ବିନ୍ଦୁରେ ଯେତେବେଳେ
ପ୍ରତିଶୋଧର ନିଆଁ ଲାଗେ,
ସେତେବେଳେ ଶବ୍ଦମାନେ ଆଉ
ଶାନ୍ତ ସୁଶୀଳ ହୋଇ ରହନ୍ତି ନାହିଁ
କଲମ ମୁନରୁ ଝରିପଡ଼େ ଅଗ୍ନିସ୍ଫୁଲିଙ୍ଗ,
ଆଉ କାଗଜର ଛାତି ଚିରି ଜନ୍ମ ନିଏ
ବର୍ଷ ବର୍ଷର ଅସନ୍ତୋଷର ଏକ ନିଷ୍ଠୁର, ଶାଣିତ ସ୍ୱର।
ତୁମେ ଚାହିଁଲେ ଶିକୁଳି ପିନ୍ଧାଇ ପାର
ମୋର ରକ୍ତ-ମାଂସର କାନ୍ଧରେ,
କାରାଗାରର ଅନ୍ଧକାରରେ
ବନ୍ଦୀ କରିପାର ମୋର ଏ ଶରୀରକୁ
କିନ୍ତୁ କହିଲ... ଶୂନ୍ୟରେ ଉଡ଼ୁଥିବା
ଚିନ୍ତାଧାରାକୁ କେବେ ବାନ୍ଧି ପାରିବ କି?
ଇତିହାସର ଧୂଳିଧୂସରିତ ପୃଷ୍ଠା ଓଲଟାଇ ଦେଖ
ଯେତେବେଳେ ବି ଶାସନର ପାଦ ଅହଂକାରରେ ଖସିଛି,
ଅତ୍ୟାଚାରର ସୀମା ଯେତେବେଳେ ଆକାଶ ଛୁଇଁଛି,
ସେତେବେଳେ ଜନ୍ମ ନେଇଛି
ଗୋଟେ ଅଜ୍ଞାତ, ଅଜେୟ ବିପ୍ଳବ।
ମୋ ହାତରେ ହୁଏତ ଆଜି କୌଣସି ରଙ୍ଗର ପତାକା ନାହିଁ
କିନ୍ତୁ ମୋ ଆଖିର କଳା ଡୋଳାରେ ଏକ ସ୍ପଷ୍ଟ ସପନ ଅଛି
ଶୋଷଣର ସେଇ ସୁଉଚ୍ଚ କାନ୍ଥକୁ ଧୂଳିସାତ୍ କରିବାର,
ଅନ୍ଧାରର ସାମ୍ରାଜ୍ୟକୁ ସତ୍ୟର ମଶାଲରେ
ଜଳାଇ ଛାରଖାର କରିବାର।
ମୁଁ ଜାଣେ, ସଂଗ୍ରାମର ଏ ପଥ
ବଡ଼ ପଥୁରିଆ, ବଡ଼ ରକ୍ତାକ୍ତ,
ହୁଏତ ଏଇ ପଥରେ ଚାଲୁ ଚାଲୁ
ମୋର ଅସ୍ତିତ୍ୱ ବି ମିଟି ଯାଇପାରେ
କିନ୍ତୁ ମୁଁ ମରିଗଲେ ବି
ଏଇ ମାଟିର କିଛି ଯାଏ ଆସେ ନାହିଁ
କାରଣ ବିପ୍ଳବ କେବେ ଜଣକର ସମ୍ପତ୍ତି ନୁହେଁ
ଏହା ତ ଏକ ଅଣାୟତ୍ତ ଅଗ୍ନିଶିଖା,
ଜଣକ ହାତରୁ ଅନ୍ୟ ଜଣକ ପାଖକୁ
ଏକ ସଂକଳ୍ପରୁ ଅନ୍ୟ ଏକ ଶପଥ ପାଖକୁ
ଶେଷ ନିଶ୍ୱାସ ଯାଏଁ ଅବିରାମ ଛୁଟିବା
ଏହାର ଚିରନ୍ତନ ଯାତ୍ରା।
ଆଜି ମୁଁ କେବଳ ଜଣେ ନାରୀ ନୁହେଁ
ମୁଁ ଏଇ ଶତାବ୍ଦୀର ଏକ ଅସମାହିତ ପ୍ରଶ୍ନ
ତୁମର ଅନ୍ଧାର ଯେତେ ଘନ ହେଉ ପଛେ
ମୋ ବିପ୍ଳବର ସୂର୍ଯ୍ୟୋଦୟକୁ
ତୁମେ ଅଟକାଇ ପାରିବ ନାହିଁ,
ଯେଉଁଦିନ ପ୍ରତିଟି ଶୋଷିତ କଣ୍ଠରେ
ସାହସର ଭାଷା ଫୁଟିବ
ଜାଣି ରଖିବ..
ସେଦିନ ହିଁ ମୋ ବିପ୍ଳବର ପ୍ରକୃତ ବିଜୟ ହେବ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment