Seithu arambha
ସହର ଓ ଶୂନ୍ୟତା
ରାସ୍ତା କଡ଼ର ସେଇ ବୁଢ଼ା ବରଗଛଟା
ଆଜି କଂକ୍ରିଟ୍ ଜଙ୍ଗଲ ଭିତରେ ହଜି ଯାଇଛି,
ତା’ ଡାଳରେ ଏବେ ଚଢ଼େଇଙ୍କ କଳରବ ନାହିଁ
ଶୋଭା ପାଉଛି କେବଳ କେଇଟା ବିଜ୍ଞାପନର ହୋର୍ଡିଂ।
ମଣିଷମାନେ ଏଠି ଧାଉଁଛନ୍ତି...
କେହି ସମୟ ପଛରେ, ତ କେହି ସ୍ୱପ୍ନ ପଛରେ,
କାହାରି ପାଖରେ ଟିକେ ମୁହୂର୍ତ୍ତେ ନାହିଁ
ସମସ୍ତେ ନିଜ ନିଜ ମୋବାଇଲ୍ ପରଦାରେ ବନ୍ଦୀ।
ସଂଜ ନଇଁଲେ ଆକାଶଟା ବି ଏବେ ଧୂଆଁଳିଆ ଦିଶେ,
ତାରାମାନେ ବୋଧେ ସହରର ଆଲୁଅକୁ ଡରି
କେଉଁ ଦୂର ବାଦଲ ଆଢୁଆଳରେ ଲୁଚି ରହିଛନ୍ତି।
ଭିଡ଼ ଭିତରେ ବି ଏଠି ପ୍ରବଳ ଏକାକୀପଣ,
ହାତ ପାହାନ୍ତାରେ ସବୁ ଅଛି...
କିନ୍ତୁ ସେଇ ପୁରୁଣା ପଲ୍ଲୀର ମାଟି ଗନ୍ଧ ନାହିଁ
ଏଠି ଏସି କୋଠରୀରେ ଶୀତଳତା ଅଛି ସତ
ହେଲେ ମୁକ୍ତ ପବନର ସେଇ ଆତ୍ମୀୟତା ନାହିଁ,
ସେଇ ନିଚ୍ଛକ ହସଟା ବୋଧେ କେଉଁଠି ଲୁଚି ଯାଇଛି
ସହରଟା ଶୋଇନାହିଁ,
ସହରଟା ରାତିସାରା ନିଅନ୍ ଆଲୁଅରେ ଜଳେ
କିନ୍ତୁ ଭିତରର ମଣିଷଟା ଅନ୍ଧାରରେ ହଜେ,
କଂକ୍ରିଟ୍ର ଛାତ ତଳେ ସବୁ ସୁବିଧା ଅଛି
ବାସ୍, ମଣିଷ ଖୋଜିବାକୁ ଏଠି ମଣିଷ ଟିଏ ନାହିଁ।
ଶେଷରେ ସେଇ ବୁଢ଼ା ବରଗଛ ପରି
ଆମେ ବି ଦିନେ ହଜିଯିବା ଏଇ ଭିଡ଼ ଭିତରେ,
କାନ୍ଧରେ ବୋହି କିଛି ଅଧୁରା ସ୍ୱପ୍ନ
ଆଉ ମୁଠାଏ ଯାନ୍ତ୍ରିକ ସ୍ମୃତି।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment