ଫଗୁଣର ଫଗୁ ଓ ରଙ୍ଗର ମେଳଣ srusti O srasta
ଫଗୁଣର ମନ ମତ୍ତାଣିଆ ପବନରେ
ଆଜି କେଉଁଠୁ ଗୋଟେ ମହକ ଭାସି ଆସୁଛି
ବୋଧହୁଏ ପୁରୁଣା ବନ୍ଧୁତା ଆଉ ନୂଆ ଆତ୍ମୀୟତାର,
ଆକାଶଟା ଆଜି ଗୋଲାପି ଦିଶୁଛି
କୌଣସି ଶିଳ୍ପୀର ତୂଳୀ ପାଇଁ ନୁହେଁ
ବରଂ ପବନରେ ଉଡୁଥିବା ମୁଠାଏ ଅବିର ପାଇଁ।
ଆଜି କେହି ପଚାରୁ ନାହାନ୍ତି
ତୁ କିଏ? କି ତୋ ଘର କେଉଁଠି?
ରଙ୍ଗର ସ୍ତର ତଳେ ହଜିଯାଇଛି
ରାଗ, ରୁଷା ଆଉ ଅଭିମାନ,
କେବଳ ବାକି ଅଛି... ଗୋଟିଏ ହସ,
କାରଣ ସମସ୍ତଙ୍କ ମୁହଁରେ ଆଜି ଗୋଟିଏ ରଙ୍ଗ,
ପ୍ରେମର ରଙ୍ଗ, ସୌହାର୍ଦ୍ଦ୍ୟର ରଙ୍ଗ।
ସେଇ ଗାଁ ମୁଣ୍ଡ ମେଳଣ ପଡ଼ିଆ
ହଜାରେ ଲୋକଙ୍କ କୋଳାହଳ,
କାନ୍ଧରେ ବିମାନ ବୋହି ଚାଲିଥିବା ସେଇ ଶ୍ରଦ୍ଧା
ଆଉ ଠାକୁରଙ୍କ ଝୁଲଣା ପାଖେ
ଜଳୁଥିବା ସେଇ ଧୂପର ଧୂଆଁ।
ବିମାନ କାନ୍ଧେଇ ଚାଲିଥିବା ସେଇ
ପାଦଗୁଡ଼ିକ ଥକୁ ନାହାନ୍ତି ଜମାରୁ
ଘଣ୍ଟର ସେଇ ତାଳେ ତାଳେ ପ୍ରଭୁ ଝୁଲୁଛନ୍ତି
ଆଉ ଆମେ ଝୁଲୁଛୁ ଏକ ଅଜଣା ଆନନ୍ଦରେ।
ମନର କୋଣରେ ଆଜି ବି ଅଛି
ସେଇ ହରିଲୁଟ୍ ପାଇଁ ଲମ୍ବା ଧାଡ଼ି,
ଆଉ ଅବିର ମୁଠାଏ ପବନକୁ ଫିଙ୍ଗି
ଆକାଶକୁ ରଙ୍ଗୀନ କରିବାର ସେଇ ଅଦମ୍ୟ ଜିଦି।
ଦୋଳ ଆସିଛି...
ଜୀବନର ଧୂସର ପୃଷ୍ଠାରେ କିଛି ରଙ୍ଗ ଛିଞ୍ଚି ଦେବାକୁ,
ମଣିଷ ସହ ମଣିଷର ମିଳନ
ଧୂଳି ଆଉ ଅବିରର ଏକ ମଧୁର ସମ୍ପର୍କ ଗଢିବାକୁ,
ରାଧାଙ୍କ ସ୍ମୃତିର ସେହି ନୀଳ ରଙ୍ଗ ହେଉ
ବା କୃଷ୍ଣଙ୍କ ପ୍ରେମର ସେହି କଳା ମେଘ,
ଆଜି ସବୁ ଏକାକାର...
ଫଗୁଣର ଏଇ ରଙ୍ଗର ମେଳଣରେ
ନିଜକୁ ହଜେଇ ଦେବା,
ଆଜି ସବୁ ପାଚେରୀକୁ ଭାଙ୍ଗି ମନର ସବୁ ଶୁଷ୍କତାକୁ
ଭିଜାଇ ଦେବା ଫଗୁଣର ଏଇ ପ୍ରେମ ରଙ୍ଗରେ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment